ଡାକ୍ତରଖାନା ଓ କ୍ଲିନିକାଲ୍ ପ୍ରତିଷ୍ଠାନ ସହ ସଂଲଗ୍ନ ଔଷଧ ଦୋକାନ ରହିବ!

  • ଜରୁରୀକାଳୀନ ସମୟରେ ଔଷଧ ଯୋଗାଣ ନିଶ୍ଚିତ
  • ଔଷଧ ଦୋକାନ ଖୋଲା ରହିବ• ଜୀବନ ରକ୍ଷାକାରୀ ଔଷଧ ସୁଲଭ

ଭୁବନେଶ୍ୱର: ରାଜ୍ୟରେ ଯେକୌଣସି ଜରୁରୀକାଳୀନ ସ୍ଥିତିରେ ସାଧାରଣ ଲୋକଙ୍କୁ ଯେପରି ନିରବଚ୍ଛିନ୍ନ ଭାବେ ଔଷଧ ମିଳିପାରିବ, ସେଥିପାଇଁ ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର୍ ଏକ ଗୁରୁତ୍ୱପୂର୍ଣ୍ଣ ସାତସୂତ୍ରୀ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହି ନିର୍ଦ୍ଦେଶ ଅନୁଯାୟୀ, ରାଜ୍ୟର ସମସ୍ତ ସହକାରୀ ଡ୍ରଗ୍ ନିୟନ୍ତ୍ରକମାନଙ୍କୁ ନିଜ ନିଜ ଅଞ୍ଚଳରେ ଅତ୍ୟାବଶ୍ୟକ ତଥା ଜୀବନ ରକ୍ଷାକାରୀ ଔଷଧର ଉପଲବ୍ଧତା ଉପରେ କଡ଼ା ନଜର ରଖିବାକୁ କୁହାଯାଇଛି। ବିଶେଷକରି ସହର ଏବଂ ଦୂରଦୂରାନ୍ତ ଅଞ୍ଚଳରେ ରୋଗୀମାନେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନହୁଅନ୍ତି, ସେଥିପାଇଁ ପ୍ରଶାସନିକ ସ୍ତରରେ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି।ଡାକ୍ତରଖାନା ଓ କ୍ଲିନିକାଲ୍ ପ୍ରତିଷ୍ଠାନ ସହ ସଂଲଗ୍ନ ଔଷଧ ଦୋକାନଗୁଡ଼ିକୁ ଚବିଶ ଘଣ୍ଟା କାର୍ଯ୍ୟକ୍ଷମ ରଖିବା ପାଇଁ ପର୍ଯ୍ୟାପ୍ତ କର୍ମଚାରୀ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକୀୟ ସ୍ଥଳେ ସ୍ଥାନୀୟ ପୋଲିସ ଓ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ଦୋକାନ ଖୋଲିବା ପ୍ରକ୍ରିୟାକୁ ସହଜ କରିବାକୁ କୁହାଯାଇଛି। ହୋଲସେଲର ଓ ଖୁଚୁରା ବ୍ୟବସାୟୀଙ୍କ ମଧ୍ୟରେ ଉତ୍ତମ ତାଳମେଳ ରହିଲେ ଯୋଗାଣ ଶୃଙ୍ଖଳା ଅକ୍ଷୁର୍ଣ୍ଣ ରହିପାରିବ ବୋଲି ବିଭାଗ ପକ୍ଷରୁ ସୂଚିତ କରାଯାଇଛି।ମଧୁମେହ, ଉଚ୍ଚ ରକ୍ତଚାପ, କର୍କଟ ଓ ହୃଦରୋଗ ଭଳି ଗୁରୁତର ରୋଗରେ ପୀଡ଼ିତ ରୋଗୀମାନଙ୍କୁ ପ୍ରାଥମିକତା ଭିତ୍ତିରେ ଔଷଧ ଯୋଗାଇବା ପାଇଁ ସ୍ଥାନୀୟ କେମିଷ୍ଟ ଆସୋସିଏସନକୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି ସ୍ଥାନରେ ଔଷଧ ଯୋଗାଣରେ ବାଧା ଉପୁଜେ, ତେବେ ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ରିଅଲ୍-ଟାଇମ୍ ରିପୋର୍ଟ ପ୍ରଦାନ କରିବାକୁ ସମସ୍ତ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଜନସ୍ୱାସ୍ଥ୍ୟର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଏହି ପ୍ରସ୍ତୁତିମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।

You might like