- ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ଉଦବେଗ
- ସିଧା ଏନକାଉଣ୍ଟର ପାଇଁ ନିର୍ଦ୍ଦେଶ
ଭୁବନେଶ୍ୱର, ୧୯ ମଇ, ୨୦୨୬: ବ୍ରହ୍ମପୁରର ଜନଗହଳିପୂର୍ଣ୍ଣ ରାସ୍ତାରେ ଜଣେ ଯୁବକ ଓ ମହିଳାଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରାଯିବା ଘଟଣାକୁ ନେଇ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଅମାନୁଷିକ ଘଟଣାରେ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ଅଭିଯୋଗ କରିଛନ୍ତି ଯେ, ବିଜେପି ଶାସନରେ ରାଜ୍ୟରେ ଗୁଣ୍ଡାରାଜ୍ ବୃଦ୍ଧି ପାଇଛି ଏବଂ ସରକାର ଅପରାଧୀଙ୍କୁ ସୁରକ୍ଷା ଦେଉଛନ୍ତି। ଏଭଳି ନୃଶଂସ କାଣ୍ଡ ପାଇଁ ଓଡ଼ିଶା ସାରା ଦେଶରେ ଲଜ୍ଜିତ ହେଉଥିବା ବେଳେ ପୋଲିସ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ସେ ପ୍ରଶ୍ନ ଉଠାଇଛନ୍ତି।ସରକାରଙ୍କ ପକ୍ଷରୁ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ। ସେ ସ୍ପଷ୍ଟ କରିଛନ୍ତି ଯେ, ଏହା ଏକ ବ୍ୟକ୍ତିଗତ ଘଟଣା ଏବଂ ବିଜେଡି ଶାସନ ସମୟର ଅପରାଧୀ ସଂସ୍କୃତିକୁ ସଜାଡ଼ିବା ପାଇଁ ସମୟ ଆବଶ୍ୟକ। ବର୍ତ୍ତମାନର ସରକାର ଯେକୌଣସି ଅପରାଧ ଘଟିବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିକୁ ସୁଧାରିବା ପାଇଁ ପୋଲିସକୁ କଠୋର ହେବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଅପରାଧୀଙ୍କୁ ସିଧା ଏନକାଉଣ୍ଟର କରାଯିବ ବୋଲି ଡିଜି ସ୍ପଷ୍ଟ କରିସାରିଛନ୍ତି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
